Your blog post

ନାକ ଗୁଣା

STORY

2/6/20261 मिनट पढ़ें

ନାକକୁ ସୁନ୍ଦର ଗୁଣା

ନାକ କୁ ସୁନ୍ଦର ଗୁଣା
ଆ ସଙ୍ଗାତ ଇସ୍କୁଲ ଯିବା
ଧରେ ତୋ ପୋଥିମୁଣା
ଗାଇବା ଗୀତ
ପଢିବା ପାଠ
କାନୀ ରେ ବାନ୍ଧେ ଆଠଣା।।

ଝିପିଝିପି ବର୍ଷା ସାଂଗକୁ ବାହାରେ ସୁଲୁସୁଲିଆ ପବନ ହେଉଚି। ଉପରବେଳା ସମୟ ବଡ ସୁନ୍ଦର୍ ପାଗଟେ ହେଇଛି।ମାମା ପକୁଡି ଛାଣୁଥିଲେ ମୁଁ ଛାତ ଉପରେ ଏ କଡ ସେକଡ ହେଉଥିଲି ହଠାତ୍ କାନରେ ପଡିଲା ଏ ଗୀତ ଟି , କାନ୍ଥ ଏପଟକୁ ଗଳି ପଡି ଦେଖିଲା ବେଳକୁ ତଳେ ଧପଡ ଧପଡ କରି ଚାଲି ଯାଉଛି କେହି ଜଣେ ଆଉ ତା କାନ୍ଧରେ ବସିଛି ସାତ ଆଠ ବର୍ଷ ର ଛୁଆଟେ ।ଆଉ ତାଙ୍କ ଫଛରେ ଗୋଡେଇ ଖେଳୁଛନ୍ତି ଗଣ୍ଡେ ପିଲା ହୋ ହୋ ହୋଇ।ଦେଖିବାକୁ ଗାଦୁଲୁ ଗୁମା ହୋଇ ବଡ କୌତୁକିଆ ହେଇଛି , ଅନ୍ୟ ପିଲାମାନଙ୍କ ଭିତରେ ଟିକେ ଅଲଗା ବାରି ହେଇ ପଡୁଛି କାରଣ ସେ ନାକରେ ପିନ୍ଧିଛି ଗୁଣା ଟିଏ ।କେତେ ଥର ଏ ଘର ଆଗରେ ଖେଳିବାର ଦେଖିଥିଲି ପଚାରିବାରୁ କହିଥିଲା ମୋ ନାଁ ଗୁଣା।ସେ ହିଁ ଗାଉଛି ଏ ଗୀତ ,ମୁଁ ଆଉ ମୋ ସାଙ୍ଗ ସାଥି ଗୌରୀ ଦିଦି ଗୋପି ଦିଦି ,ଦିନା ହିରା ଆମେ ଖେଳି ଖେଳି ଏ ଗୀତ ଗାଉଥିଲୁ ପିଲାବେଳେ ।ଗୁଣା ବାପା କାନ୍ଧରେ ବସିଛି ରଜା ଭଳିଆ ଆଉ ଗୀତ ଗାଇ ଗାଇ ଝୁଲିଝୁଲି ଚାଲିଛନ୍ତି ବାପାପୁଅ ଦି ଜଣ। ମୁଁ ମାମା କୁ କହିଲି ଦେଖିଲୁ ମାମା ଗୁଣା କେମିତି କାନ୍ଧରେ ବସି ଗୀତ ବୁଲୁଛି।ତା ମାଠୁ ଶୁଣିକି ସେ ଗୀତ ବି ମନେ ରଖିଦେଇଚି ଯେ ଗାଇ ଗାଇ ଯାଉଛି।ମାମା ଦେଖି ଟିକିଏ ହସିଲେ କହିଲେ ପିଲା ଟା ବଡ ଚୁଲୁଚୁଲିଆ , ଏଇଠେ ଥା କହିଲେ କୋଉଠି ଥିବ।

ବର ଉପର ସାହି ର ,କନିଆ ତଳ ସାହିରେ ଆଉ ଭୋଜି ହେଉଛି ସେ ଖଳାରେ ।
ଧନେଇ କକା ଧୋବ ସରସର ଧୋତି ଉପରେ ସେମିତି ଧୋବ ସରସର କୁର୍ତା ଖଣ୍ଡେ ପିନ୍ଧି ମୁଣ୍ଡ ରେ ନାଲି ବୋର୍ଡର ଥାଇ ଛିଟପକା ଧଳା ଗାମୁଛା ଟେ ପଗଡି ବାନ୍ଧିଛି। ପଛରେ ପଛରେ ବରଯାତ୍ରୀ ଆଉ ଧନେଇ କକା ବର ବେଶରେ ସଜେଇ ହେଇ ରଜା ଭଳିଆ ଆଗରେ ଆଗରେ ଚାଲୁଛି।‌ହେଲେ କଣ ହେବ ଦୁଇ ପାହୁଣ୍ଡ ରେ ଦଶ ପାଦ ଆଗକୁ ଚାଲି ଯାଉଛି ,ଆରେ ତା ଚାଲି ପରା ସେମିତି। ଟିପ ରେ ଚାଲେ ସେ ଚାଲିଲା ବେଳେ ଲାଗିବ ଧାଉଁଛି।
ଗୌରି ଦିଦି ଆମ ସ୍କୁଲରେ ପଢୁଥିଲା। ଏ ବର୍ଷ ଦଶମ ପରୀକ୍ଷା ଦେଇଥାନ୍ତା , ମୋ ଠୁ ଦୁଇ ତିନି ବର୍ଷ ବଡ ହେଲେ ବି ତାର ବହି ସବୁ ମତେ ଦେଇଦେଲା।‌ ଥରେ ମେଟ୍ରିକ୍ ରେ ଫେଲ ହେଇ ଏବର୍ଷ ପରିକ୍ଷା ଦେଇଥାନ୍ତା ଯେ ହେଲେ ବାପା ବାହା କରେଇ ଦେଲା।ଏପଟେ ତା ଶାଶୁଘର ଲୋକ କହିଲେ ପରା ,ଆମ ପୁଅ ପଢିଛି ଅଷ୍ଟମ ,ତମ ଝିଅ ଆଉ ଅଧିକ ପଢିଲେ ହବ କି, ଯେତିକି ପଢିଚି ସେତିକି ଥାଉ ।
ହଳଦୀ ଗୁରୁଗୁରୁ ବଉଳ ପାଟ ,ହାତରେ ନାଲି ନେଳିରେ ମେଞ୍ଚେ ପାଣି ଚୁଡି ପାଦରେ ହାତରେ ଅଳତା ,ବେକ ରେ ବାଙ୍କପତରି ଆଉ ମଥାରେ ନାଲି ଟିପିଟିପି ଚନ୍ଦନ ଟୋପା କରା ହେଇଛି, ଓଃ ସତରେ ବଡ ସୁନ୍ଦର୍ ଦିଶୁଥିଲା ଗୌରୀ ଦିଦି। ତାର ସବାରି ଉଠିଲା ଏ ସାହିରୁ ସେ ସାହିକୁ , ହୁଳହୁଳି ଶଙ୍ଖ ବଜେଇ ପଛେପଛେ କିଏ କାନ୍ଦି କାନ୍ଦି କିଏ ହସିହସି ତାକୁ ଉପର ସାହିରେ ଛାଡିବାକୁ ଗଲେ।
ଧନେଇ କକା ଏଡେ ଲମ୍ବା ମଣିଷ ଟା ଆଉ ଗୌରୀ ଦିଦି ତା ଆଗରେ ଏଡେ ବକଟେ ଦିଶୁଛି।କଉଡି ଖେଳ ହେଲା ଧନେଇ କକା ଧିରି କି ହାତ ଢିଲା କରି ଦେଲା ଆଉ ଗୌରୀ ଦିଦି ଖେଳରେ ଜିତିଗଲା ସମସ୍ତେ ଉତ୍ସାହର ସହ ତାଳି ବାଡେଇଲେ ହେଲେ ଧନେଇ କକା ସାଙ୍ଗ ସାଥି ସବୁ ହେ ହେ ଛେ ଛେ ହେଲେ ।ହେ ମାଇପ ବୋଲକରା ହବ ରେ କହି ଟାପରା କଲେ। କିନ୍ତୁ ଧନେଇ କକା ର ସେ କଥା କୁ ଖାତିରି ନାହିଁ। ତା ଆଖି ତ ଗୌରୀ ଉପରୁ ହଟୁ ହିଁ ନଥିଲା।

ବାସ୍ ଗୌରୀ ଦିଦି ସହ‌ ଏତିକି । ସେ ବାହା ହୋଇ ଗଲା‌,ଆଉ ତା ପରେ ସେ ହାତେ ଓଢଣା ଟାଣି ଯିବାଆସିବା କରେ ।ଥରେ ଅଧେ ଦେଖିଥିବି କିନ୍ତୁ ଆଉ ବେଶି ଭାବନାବ କିଛି ନାହିଁ। କିନ୍ତୁ ,ତା ଦେଇଥିବା ବହି ଗୁଡିକୁ କୁ ଦେଖିଲେ ତା କଥା ମନେ ପଡ଼ିଯାଏ। ପରେପରେ ଶୁଣିଥିଲି କାହାଠୁ ତାର କଣ ପିଲାପିଲି ହେବାର ଥିଲା।
ଧନେଇ ର ତ କୌଣସି କଥା କୁ ଖାତିରି ନାହିଁ,ଖାଇଛି ତ ଖାଇଛି,ବଇଚି ତ ବଇଚି , ମୁ ତ ମୋ ବୋପାର ଖାଉଛି ତୋର କଣ ଗଲା ସେଇଠୁ , କାମ ଦାମ କିଛି ନକରି ବିଲ ବାଡ ନଯାଇ ଘରେ ଖାଲି ପଡି ରହିଲା , କାମ ନକଲେ କିଏ ଶୁଣିବ ହୋ। ଲାଗିଲେ ଭାଇ ଭାଇ ରେ କଳି । ବିଭା ଘର ଚାରିମାସ ନପୁରୁଣୁ ଭିନେଭାଗ ଚିଣ୍ଡିଲା। କେହି କାହାର ମୁହଁ ଚୁଆଚୁଇ ନାହିଁ।
ଦିନେ ହଠାତ୍ ଦେଖିଲାବେଳକୁ ଧନେଇ ଟିପରେ ଚାଲି ଧପଡି ଯାଉଛି ‌,କାନ୍ଧରେ କାନ୍ଧେଇ ଧରିଛି ଗୌରୀ ଦିଦିକୁ ।ଆଖି ମୁଦି ପଡିଛି ଗୌରୀ ହେଲେ ମଝିରେ ମଝିରେ ଓହ ଓହ ହେଉଛି। କିନ୍ତୁ ଧନେଇ ସେ କଥାକୁ ତିଳେ ବି ଭ୍ରୁକ୍ଷେପ କରୁନି ।ଖାଲି କହୁଛି କିଛି ହେଇନି କିଛି ହେଇନି।ଲୋକ ପାଟି କରୁଛନ୍ତି ହଇରେ ହେଇ ଅଟୋ କି ରିକ୍ସା ଟେ କରୁନୁ। ଏ ବାହାପିଆ କାହିଁକି ଦେଖେଇ ହେଉଛୁ ହେଲେ ବି ତାର କିଛି କାହା କଥାକୁ ଶୁଣିବାର ନାହିଁ ।ଭାଇ ଭାଇ ରେ ତ ଅପଡ କିଏ ପାଟି ଖୋଲିବ ତାକୁ ।ଡାକ୍ତର ଖାନା ଏଠୁ ୫କିଲୋମିଟର, ବେଳ ଘଡିକୁ ପହଞ୍ଚିଲା ବେଳକୁ କେହି ଡ଼ାକ୍ତର ନାହିଁ ସେଠି, ବାସି ଦିନ ସଞ୍ଜ ବେଳକୁ ଯାଇ ଘରକୁ ଧରି ଫେରିଲା ଗୌରୀ କୁ ଧରି ପୁଣି ବେପରୁଆ ଭାବରେ କହିଲା ,ମଲା ପିଲାଟେ ଜନ୍ମ ହେଲା । ଏଡେ ବଡ କଥା ଟି ତଥାପି ତା ମୁହଁ ରେ ଟିକେ ବି ପ୍ରତିକ୍ରିୟା ନାହିଁ। ଗୌରୀ ଦିଦି ମଲା ପ୍ରାୟ ପଡିରହିଲା କେତେ ଦିନ ଯାଏଁ,ଏପଟେ ଗୌରୀ ଦିଦି ର ଶାଶୁ ଦିନ ନାଇଁ,ରାତି ନାଇ, ସମ୍ପି ଚାଲିଲା ତାକୁ , ଘରଭାଙ୍ଗି,ପିଲାଖାଇ ଆଉରି କେତେକଣ।ଗୌରୀ କେତେ ମନ ଦୁଃଖ କରି କହିଲା ଧନେଇ କୁ ତୁମ ମାଆ କୁ ଟିକେ ବୁଝାଅ,ସେ ତ ଧନେଇ ,ତା କଥାକୁ ଏ କାନରେ ପୁରେଇ ସେ କାନରେ ଛାଡି ଦେଲା।

ପିଲାକୁ ହରେଇ ଦୁଃଖ ରେ ଗୌରୀ କିଛିଦିନ ମା ଘରେ ରହିବ କହିଲା ସେଠି ବି ତାକୁ ରଖେଇ ଦେଲାନି ଧନେଇ। କଣ ଟା କାମ ଯେ ଆମ ଘରେ ପଖାଳ ମୁଠିଏ ରାନ୍ଧିବ ଯେ କୋଉ ଘୋଟଣା ଧରି ଯିବକି କହି ନେଇଆସିଲା । ଏମିତି ହେଉ ହେଉ ପ୍ରାୟ ପାଞ୍ଚ ବର୍ଷ ହୋଇଗଲା ଆଉ ଛୁଆପିଲା ହେଲା ନାହିଁ। ଗୌରୀ ର ଅବସ୍ଥା ବଡ ଶୋଚନୀୟ ହୋଇଗଲା। କିନ୍ତୁ ଧନେଇ ସେଇ ବୁର ଗଛରେ କହୁଣି ମାରି କଥା କହିବା ଛାଡିଲାନି, ହଁ କଣଟେ ହେଇ ଗଲା ସେଠୁ ହବନି କି ?ମୋ ଭାରିଜା କଣ ମରିଗଲାଣି କି ବଞ୍ଚିଛି ପରା !! ଆରେ ଭାର୍ଜା ଥିଲେ କେତେ ପିଲା ଆସିବେ।
ସେପଟେ ଧନେଇ ର ମାଆ କହୁଛି ପାଞ୍ଚ ବର୍ଷ ହେଲାଣି ଏ ବର୍ଷ ଯଦି ନହେଲା ଆର ଗାଁ ର ହେମ କୁ ବିଭା କରେଇ ଦେବି ଧନେଇକୁ । ଗୌରୀ ମନରେ ଛନକା ପଶିଲା କିନ୍ତୁ ସେ କଣ କରିବ ? କେତେ ଚେରମୂଳି ଖାଇଚି ,ବାବା ତାନ୍ତ୍ରିକ କରିଛି,ସର୍ବେଶ୍ଵର ଙ୍କ ଠେ ମାନଶିକ କରିଛି‌। ବୁଣି ଠାକୁରାଣୀ କୁ ଆଖି ଦିଇଟି ଆଣି ଦେଇଚି ଆଉ କଣ କରି ପାରିବ !!
ଏଥର କିନ୍ତୁ ଗୌରୀ ର ବାପା ମା, ଜୋଇଁ କୁ ନେହେରା ହେଇ କହିଲା, କୋଉଠି ଟିକିଏ ଡାକ୍ତର ଦେଖେଇଲେ ହୁଅନ୍ତାନି?? ଝିଅ ର ଦେହ ଟା ବେଶି ଖରାପ ହେଲାଣି। ଧନେଇ ର ମୁଣ୍ଡ ରେ ଟିକେ ଚେତା ପଶିଲା , ଧରିକି ଗଲା ପାଖ ସହରକୁ , ଡାକ୍ତର କହିଲେ ତା ଦେହ ବହୁତ ଦୁର୍ବଳ ଛୁଆ ରହିଲେ ବହୁତ ଜାଗ୍ରତ କରି ଚଳିବୁ। କିନ୍ତୁ ମନେ ରଖ ଏ ଥର ଯଦି କିଛି ଏପଟ ସେପଟ ହୁଏ ଗୌରୀ ଜୀବନ ପ୍ରତି ବିପଦ ଅଛି।ପଥିରେ ରହି ଔଷଧ ପତ୍ର ଖାଇଲା ପରେ କିନ୍ତୁ ଦୀର୍ଘ ଛଅ ବର୍ଷ ରେ ଛୁଆ ଟିଏ ରହିଲା । ଗୌରୀ ଦିଦି ଡରି ଡରି ଚଳେ ଖାଲି । କିଛି କାମ କରିବାକୁ ମନା ସେଥିପାଇଁ ସେ ମାଆ ଘରେ ରହିଲା।ଭାରି କଷ୍ଟ ପାଇଲା ସେ ନଅ ମାସ ‌।ମୋ ଜେଜେ ମାଆ ର ଆଠ ଦଶଟି ଛୁଆ ,କେତଳେ ମାଆ କୁ ଦେଖିଥିଲା ତ ଜୋର କରି‌ କହିଥିଲା ମାଆ ଗୋ ମୋ କୋଡ ରୁ ଜନ୍ମ ଦେବି ସତ ହେଲେ ତମକୁ ବିକି ଦେବି। ତମର ହେଇକି ବଢିବ ପଛେ ମୋ ପିଲା ବାସ୍ ବଞ୍ଚିକି ଥାଉ । ମୁଁ ଆଉ ଏ ଗଞ୍ଜଣା ଶୁଣି ପାରିବି ନାହିଁ। ମୁଁ ପଛେ ମଲେ ମରିବି ହେଲେ ଆଣ୍ଠୁକୁଡି ପଦ ସହି ପାରୁନି ଗୋ ମାଆ।

ସେଦିନ ଦିନ ଯାକ ବଡ ଯନ୍ତ୍ରଣା ଖାଇଲା ରାତି ଘଡିକ ରେ ଯାଇ ପ୍ରସବ ହେଲା। ପ୍ରସବ ତ ଘରେ ହିଁ ହେଲା।ଯେମିତି ଛୁଆ ଟି ଜନ୍ମ ହେଲା ମୋ ଜେଜି ମାଆ ଦଶ ଟା ଟଂକା ଦେଇ କିଣିଦେଲେ ତାକୁ। ପିଲାଟି ବଡ ସୁନ୍ଦର୍ ହେଇଥିଲା । ଗୌରୀ ମାନସିକ କରିଥିଲା ଦୁର୍ଗା ଙ୍କ ମଥାରେ ଲଗେଇ ଗୁଣା ଟେ ଆଣି ତା ପୁଅ ନାକରେ ପିନ୍ଧେଇବ, ଆଉ ସେଥିପାଇଁ ସେ ତାକୁ ନାଁ ଦେଇଥିଲା ଗୁଣା।
ଆମେ ପିଲାବେଳେ ଯୋଉ ଗୀତ ଗାଉଥିଲୁ
ନାକୁ ସୁନ୍ଦର ଗୁଣା…
ସତରେ ମାନୁଥିଲା ତା ନାଁ ସହ ତା ନାକର ଗୁଣା।

ଶଶିକଳା ପରି ବଢିଲା ସେ।ଚୁଲୁଚୁଲିଆରେ ଓସ୍ତାଦ।ମାଆ ର‌ ନାକରେ ଦମ୍ କରି ଦେଲାଣି। ବାପା ଆଜିକାଲି ବିଲରେ ଖଟୁଚି । ପିଲା ପାଈଁ ବାପା ମାଆ ଦିଇଟା ଖାଇବା ଶୋଇବା ଭୁଲି ଯାଇଛନ୍ତି।ପିଲା ପାଈଁ ଚାନ୍ଦ କହିଲେ ବି ଆଣି ଥୋଇଦିଏ ଧନେଇ। ଆଉ ଗୌରୀ ପୁଅ କୁ ଆଖିର ତାରା କରି ରଖିଛି। ଦଣ୍ଡେ ନଦେଖିଲେ ପାଗେଳି ହେଇ ଯାଉଛି। ଗାଁ ଟା ଯାକରେ ଶୁଭୁଥିବ ଏ ଗୁଣା , ହେଇ ଗୁଣା , କାଇଁ ଗୁଣା।ଏଇ ଗୁଣା ପାଇଁ ଭାଇଭାଇ ରେ ଆଉଥରେ କଥା ହେଲେ ସମ୍ପର୍କ ଫିଟିଲା। ଗୌରୀ ଦିଦି ବାଞ୍ଜ୍ଝ ଦୋଷରୁ ପାରିହେଲା।ତା ଘର ଖୁସିରେ ଫାଟି ପଡୁଥିଲା। ତଳସାହି ଠୁ ଉପରସାହି ସବୁଠି ତାକୁ ଚିହ୍ନନ୍ତି। ସମସ୍ତଙ୍କର ପ୍ରିୟ ସେ।ଭାଇଭଉଣୀ ,ସାଂଗ ସାଥି ମିଶି ଖେଳିଲା ବେଳେ ଆମେ ଗାଉଥିବା ଗୀତ ଟି ଗାଇଲେ ମୁଁ ଫେରିଯାଏ ଆମର ସେ ପୁରୁଣା ଦିନ ଗୁଡିକୁ।ସେ ଯାହା ହେଉ ଗୌରୀ ଦିଦି ର କଷ୍ଟ ର ଫଳ ଭଗବାନ ତାକୁ ଦେଲେ ସେଇଟା ବହୁତ ବଡ କଥା।

ସଞ୍ଜ ହେଲା ଏ ଯାବତ୍ ବାହାରେ ବର୍ଷା ହେଉଛି। ହଠାତ୍ ବାହାରେ ହୋ ହାଲ୍ଲା ଶୁଭିଲା ,ବାହାରେ ଲୋକ କୁହାକୁହି ହେଉଛନ୍ତି, ବାପା ଶୁଣିକି ଚିଢଚଢ ହୋଇ ଘରକୁ ପଶିଲେ କହି କହି ,


ଏ ଧନେଇ ଟା ଆଉ କେବେ ସୁଧୁରିବନି,
ଆମେ ପଚାରିଲୁ କଣ ହେଲା ବାପା ,କହିଲେ
ଦେଖୁଛ ବାହାରେ କେମିତି ବର୍ଷା ହେଉଛି ,ପିଲାଟାକୁ ଘରେ ରଖିନଥାନ୍ତା , ନାଳ ତଳେ ପାଣି ଯାଉଥିଲା ,ଗୁଣା ନାଳ ପାଣିରେ ଗୋଡ ବୁଡେଇ ବସି ଖେଳୁଥିଲା। କି ନାହିଁ କି ସାପ କି ଜନ୍ତୁ। ଚୋଟ ମାରି ଚାଲିଗଲା ।
ଏଡେ ବକଟେ ପିଲା ,ସେ ପିଲା ଆସି ଘରେ କହିଲା ତା ପରେ ବି ସେ ଧନେଇ ର ଟିକେ ଖାତିରି ନାହିଁ , କାହାକୁ ଡକା ନାହିଁ ହକା ନାହିଁ ହୋ ଏବେ ଗଲା ଡାକ୍ତରଖାନା।କଣ କହିବ ଏମିତି ମଣିଷକୁ।
ବଡ ଆଶ୍ଚର୍ଯ୍ୟ କଥା ମୁ ତ ଏବେ ଟିକେ ସମୟ ତଳେ ଦେଖିଥିଲି , ଆମ ଘର ଦେଇ ତ ବାପା ପୁଅ ଦିଟା ଡେଇଁ ଡେଇଁ ଯାଉଥିଲେ , ଦେଖିଲେ ତ ବିଲକୁଲ ଲାଗୁ ନଥିଲା ଗୁଣା କୁ ସାପ କାମୁଡିଛି ବୋଲି। ମୁଁ କହିଲି ,
ହଁ ପରା ସେ ମୂର୍ଖ ଧନେଇ ସାପ କାମୁଡା କୁ ଏଡେ ଖାମଖିଆଲି ଭାବିଲା । ନା ଅଟୋ ଡାକିବ କି ଜଲଦି ଯିବ ହଲି ହଲି ଯାଇଛି। ଆଖ ପାଖ ଲୋକ କହିଲେ ବି ଆରେ ଜଲଦି ଯା ବିଶ ଚଢିଯିବ ହେଲେ ତାର ବେଖାତିର ପଣ ଯୋଗୁଁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଦେହ ସାରା ବିଶ ସଞ୍ଚରି ଯାଇ ନୀଳ ପଡ଼ିଯାଇଛି ପିଲାଟି ,,ପିଲା ଟା ଆଉ ନାହିଁ !!!
ହାଁ,,
ମୋ କାନମୁଣ୍ଡ ଝାଇଁ ଝାଇ କରିଗଲା । ବିଶ୍ବାସ ଲାଗିଲାନି ମତେ , ଏବେ ଅଳ୍ପ ସମୟ ତଳେ ମୋ ଆଖି ଆଗରେ ବାପାର କାନ୍ଧରେ ବସି ହଲି ହଲି ହସି ହସି ଗୀତ ଗାଇ ଗାଇ ଯାଇଥିବା ଛୁଆ ଟି ଏବେ ଆଉ ଏ ଦୁନିଆରେ ନାହିଁ। ମାତ୍ର କିଛି ମଣିଷର ବେଖାତିର ବେପରୁଆ ମୂର୍ଖାମୀ ଆଚରଣ ପାଇଁ ଖାଲି ଖାଲି ରେ ପିଲା ଟିର ଜୀବନ ଚାଲିଗଲା।
ଏବେ ଗୌରୀ ଦିଦି ଗାଁ ଦାଣ୍ଡରେ ପାଗେଳୀ ହେଇ ବୁଲୁଛି ମୋ ଗୁଣା କାଇଁ ଗଲୁ ରେ ମୋ ଗୁଣା କହି କହି ।ଯାହାର ନାଇ ତା ପିଲାକୁ ଧରି ନେଉଛି , ଧନେଇ ତା ଘର ପିଣ୍ଡାରେ ବସି କାନ୍ଥରେ ମୁଣ୍ଡ କୁ ପିଟି ନିଜ କପାଳ କୁ ନିନ୍ଦୁଛି।

ଆଜି ବି ଗାଁ ରେ ପିଲାମାନେ ଖେଳିଲା ବେଳେ ସେ ଗୀତ ଟି ଗାଆନ୍ତି,
“ନାକକୁ ସୁନ୍ଦର ଗୁଣା
ଆଲୋ ସଙ୍ଗାତ ଇସ୍କୁଲ ଯିବା
ଧ ତୋର ପୋଥି ମୁଣା
ଗୀତ ଗାଇବା
ଖାଇବା ଖଜା
କାନୀ ରେ ଧ ଆଠଣା।। “
ମୋ ଆଖି ଆଗରେ ଭାସି ଯାଉଛି ସେ ଦିନ ର ଗୁଣା କାନ୍ଧରେ ବସି ଯିବାର ଦୃଶ୍ୟ।
ମନରେ ବାସ୍ ଗୋଟିଏ ପ୍ରଶ୍ନ ଉଠେ , ଉତ୍ତର ଖୋଜେ ଗୁଣା ର ମୃତ୍ୟୁ ପାଇଁ କଣ ସତରେ କେବଳ ସେଇ ଦିଇ ଜଣ ହିଁ ଦାୟୀ ଥିଲେ ??
ଆପଣ କୁହନ୍ତୁ।।।rm